Unknown

 

 

 

 

 

 

 

 

 

ବାନ୍ଧବୀ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(କବିଙ୍କ ‘ବାନ୍ଧବୀ ଚଉତିଶା’ ଅନ୍ୟତମ ଉତ୍କୃଷ୍ଟ ଚଉତିଶା । ରାଧା-କୃଷ୍ଣଙ୍କ ପ୍ରେମ ଅନାବିଳ, ଶାଶ୍ୱତ ଓ ଅଲୌକିକ । ଦୁହିଁଙ୍କର ପ୍ରେମ ଅତୁଟ, ଅଭେଦ୍ୟ । ଯେତେ କୁଳନିନ୍ଦା, ଶାଶୂର ତାଡ଼ନା ପାଇଲେ ବି ରାଧା କୃଷ୍ଣଙ୍କୁ ପାସୋରି ପାରିଛନ୍ତି ନା କୃଷ୍ଣ ଯେତେ ଦୂରରେ ଥାଇ ବି ପାସୋରୁଛନ୍ତି । ମଥୁରା କଟକରେ ଥାଇ କୃଷ୍ଣ ବାନ୍ଧବୀ ରାଧାଙ୍କ ବିରହ ବେଦନାରେ ଜର୍ଜରିତ ହେବାର କରୁଣ ଚିତ୍ର ଚଉତିଶାଟିରେ ଫୁଟି ଉଠିଛି । ସୁନ୍ଦର, ସରଳ ଭାଷାରେ ଏହା ମାଧୁର୍ଯ୍ୟ ମଣ୍ଡିତ ହୋଇଛି । ରୀତିଯୁଗୀୟ ଶୈଳୀ ଆମେ ଏଥିରେ ଦେଖୁଁ ।)

 

କମଳଲୋଚନ କଂସ କଟକରେ ଥାଇ

କିଶୋରୀ ରତନ ରାଧା ଚରିତ ଚିତୋଇ ।

ଆହା ବାନ୍ଧବୀ ରେ ।୧।

କ୍ଷଣେ ଯେ ପାଶରୁ ମୋତେ ନକରୁ ଅନ୍ତର

ଖଳ ଦଇବ ବଶରୁ ହେଲି ଏତେ ଦୂର

ଆହା ବାନ୍ଧବୀ ରେ ।୨।

ଗଳାରେ ବାହୁ ବଲ୍‌ଲରୀ ବେଢ଼ାଇ ମୋହର

ଗେଲାଇ ଯେ ବୋଲୁଥାଉ ନୋହିବା ଅନ୍ତର

ଆହା ବାନ୍ଧବୀ ରେ ।୩।

ଘର କରିଥାଇ ବନେ ତୋହ ପ୍ରୀତି ଘେନି

ଘର ଏବେ ଘୋର ହେଲା ଘନ ପୀନସ୍ତନୀ

ଆହା ବାନ୍ଧବୀ ରେ ।୪।

ନେତ୍ର-ପଲକ ପଡ଼ିବା ନ ସହଇ ଦେହ

ନିଷ୍ଠୁର ଦଇବ ସୁହାଇଲା ଏ ବିରହ

ଆହା ବାନ୍ଧବୀରେ ।୫।

ଚରାଇ ବୃନ୍ଦାବନରୁ ନେଉଥିଲେ ଧେନୁ

ଚିତ୍ତରେ ଦଣ୍ଡକେ ପ୍ରତେ କୋଟି କୋଟି ମନୁ

ଆହା ବାନ୍ଧବୀ ରେ ।୬।

 

ଭାବାର୍ଥ- (୧-୬) ମଥୁରାରେ କଂସର କଟକ । ଧନୁଯାତ୍ରା ଦେଖିବାକୁ ଯାଇ କୃଷ୍ଣ ସେଠାରେ ରହିଛନ୍ତି । ମନ କିନ୍ତୁ କିଶୋରୀ ରତନ ରାଧାଙ୍କ ଠାରେ । ତାଙ୍କ କଥା ମନେ ପକାଇ କୃଷ୍ଣ ବିରହ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ରାଧାଙ୍କୁ ବାନ୍ଧବୀ ରୂପେ ଝୁରି ସେ କହୁଛନ୍ତି- ରେ ବାନ୍ଧବୀ, କ୍ଷଣିକ ପାଇଁ ମଧ୍ୟ ମୋତେ ଅନ୍ତର କରୁ ନ ଥିଲୁ । ଦୁଷ୍ଟ ଦଇବ ଯୋଗୁଁ ଏତେ ଦୂରରେ ଏବେ ରହୁଛି । ମୋ ଗଳାରେ ତୁ ତୋର ବାହୁଲତାକୁ ବେଢ଼ାଇ ଦେଇଥାଉ ଆଉ ଗେହ୍ଲାରେ କହୁ, କେବେ ହେଲେ ଆମେ ଅନ୍ତର ହେବା ନାହିଁ । ଆହାରେ ମୋ ବାନ୍ଧବୀ, ତୋର ପ୍ରୀତି ଅକଳନ । ତୋର ଅସୀମ ପ୍ରୀତିକୁ ହୃଦୟରେ ଧରି ବନ ମଧ୍ୟରେ ଘର କରିଥାଏ ଅର୍ଥାତ୍ ଦିନରାତି ଏଠାରେ ଗାଈ ପଲ ନେଇଥାଏ । ରେ ଘନ ପୀନସ୍ତନୀ, ଏବେ କପାଳ ଦୋଷରୁ ଘର ଘୋର ବା ଭୟଙ୍କରତାରେ ପରିଣତ ହୋଇଛି । ରେ ବାନ୍ଧବୀ, ନେତ୍ରରେ ପଲକ ପଡ଼ୁନାହିଁ, ଶରୀରକୁ କଷ୍ଟ ହେଉଛି । ଏ ବିରହ ଦଶା ଭୋଗିବାକୁ ନିଷ୍ଠୁର ଦଇବ କଲା । ରେ ବାନ୍ଧବୀ, ବୃନ୍ଦାବନକୁ ଧେନୁ ଚରାଇବାକୁ ନେଇଥିଲେ ଦଣ୍ଡକ ସମୟ କୋଟି କୋଟି ବେଳା ପରି ମନକୁ ଲାଗୁଥିଲା-। ତୋ କଥା ମନେ ପକାଇ ବିକଳ ହେଉଥିଲି ।

 

 

ଛାଇ ସେ ଅନ୍ତର ହୁଏ ତୁ ନୋହୁ ଅନ୍ତର

ଛାଡ଼ି ତେଡ଼େ ସେନେହ ରହିଲୁ ଦୂରାନ୍ତର

ଆହା ବାନ୍ଧବୀ ରେ ।୭।

ଯାଉ ନାହିଁ ଜୀବନ ରହିଛୁ କାହାପାଇଁ ?

ଯାତନାବନ୍ତ ଲୋକକୁ ଯମ ନ ନିଅଇ

ଆହା ବାନ୍ଧବୀରେ ।୮।

ଝୁରୁଛି ମୁଁ ଏଣେ, ତେଣେ ଝୁରୁଅଛୁ ତୁହି

ଝଲକ ବଦନୀ ଆହା-କରନ୍ତା କେ ନାହିଁ

ଆହା ବାନ୍ଧବୀ ରେ ।୯।

ନେତ୍ରକୁ ମୋହର ଆଉ ନିଦ୍ରା ନ ଆସଇ

ନାଗରୀ ରତନ ତୋର ରୂପଗୁଣ ଧ୍ୟାୟି

ଆହା ବାନ୍ଧବୀ ରେ ।୧୦।

ଟଳି ପଡ଼ୁଅଛୁ ଅଙ୍ଗ ଅନଙ୍ଗ ଅବଶେ

ଟେକସ୍ତନୀ କି ହୋଇଥିବୁ ତାହାର ତ୍ରାସେ

ଆହା ବାନ୍ଧବୀରେ ।୧୧।

ଠିଆ ହେଲା ରୋମ ପ୍ରାୟେ ଲାଗିଅଛି ଶର

ଠଣ ଚନ୍ଦ୍ରମୁଖୀ ଯେହ୍ନେ ଶଲ୍ଲକୀ-ଶରୀର

ଆହା ବାନ୍ଧବୀ ରେ ।୧୨।

ଡେରି ହୋଇ ବସିବାକୁ ନାହିଁ ମୋ ଭରସା

ଡମ୍ବରୁ ମଧ୍ୟା କି ହୋଇଥିବ ତୋହ ଦଶା

ଆହା ବାନ୍ଧବୀ ରେ ।୧୩।

 

ଭାବାର୍ଥ- (୭-୧୩) ରେ ବାନ୍ଧବୀ, ଛାଇ ସିନା କେବେ ଅନ୍ତର ହେବ, ତୁ କେବେ ଅନ୍ତର ହେବୁ ନାହିଁ । ଏଡ଼େ ବଡ଼ ସ୍ନେହକୁ ଛାଡ଼ି ତୁ ଦୂରରେ ରହିଲୁ । ଏ ଜୀବନ କାହିଁକି ରହିଛି ଜାଣି ପାରୁନାହିଁ । କାହା ପାଇଁ ବା ରହିଛି ? ଦୁଃଖ ପାଉଥିବା ଲୋକକୁ ଯମ କେବେ ହେଲେ ନିଏ ନାହିଁ-। ରେ ବାନ୍ଧବୀ, ମୁଁ ତୋତେ ଏଣେ ଝୁରୁଛି, ତେଣେ ତୁ ମୋତେ ଝୁରୁଛୁ । ଲୋ ଝଲକ ବେଦନୀ, ଆମକୁ ଆହା କରିବାକୁ କେହି ନାହିଁ ।

 

ରେ ବାନ୍ଧବୀ, ତୋତେ ଝୁରିଝୁରି ମୋ ଆଖିକୁ ଆଉ ନିଦ ଆସୁନାହିଁ । ଲୋ ନାଗରୀ ରତନ ସର୍ବଦା ମୁଁ ତୋର ରୂପଗୁଣକୁ ମନେ ପକାଉଛି । ଆହାରେ ବାନ୍ଧବୀ, ରେ ଉନ୍ନତସ୍ତନା, କନ୍ଦର୍ପର ଭୟରେ ତୋ ଅଙ୍ଗଦେଶ ଟଳି ପଡ଼ୁଥିବ । ତୋ ଦେହର ରୋମ ସବୁ ଶରପ୍ରାୟ ଠିଆ ରହିଛି । ରେ ଚନ୍ଦ୍ରମୁଖୀ, ଏ ଶରୀର ଯେମିତି (ଶଲ୍ଲଳୀ) କଣ୍ଟକ ପୂର୍ଣ୍ଣ ହୋଇଛି । ରେ ବାନ୍ଧବୀ ଡେରି ହୋଇ ବସିବାକୁ ମୋର ଭରସା ଅଣ୍ଟୁନାହିଁ । ରେ ଡମ୍ବରୁମଧ୍ୟା, ତୁ ବିରହରେ ଛଟପଟ ହୋଇ ତୋର ଦଶା କ’ଣ ହୋଇ ନ ଥିବ ।

 

ତାଳେ ବିହି ଦୁହିଁଙ୍କି ଯା ଅନ୍ତରେ ରଖିଲା

ତମ କାମ ସବ୍ୟସାଚୀ ସାଧନା ଶିଖିଲା

ଆହା ବାନ୍ଧବୀ ରେ ।୧୪।

ଅଙ୍ଗେ ଅନୁଭବ କରିଥିଲେ ଜଳାବଳୀ

ଏତେକେ ବିଯୋଗୀ ଅଙ୍ଗ ଦିଅଇ ସେ ଜାଳି

ଆହା ବାନ୍ଧବୀ ରେ ।୧୫।

ତହିଁ ଉପରେ ତ ହେଲା ସହ ଯେ ନିଷ୍ଠୁର

ତୋହରି କଥାକୁ ମୋର ହେଉଛି ବିଚାର

ଆହା ବାନ୍ଧବୀ ରେ ।୧୬।

ଥାଉ ଥାଉ ମୋର ପାଶେ ଥରୁ ତାର ଭୟେ

ଅଥିର ହୃଦୟା ଏବେ କରିବ ଅଥୟେ

ଆହା ବାନ୍ଧବୀ ରେ ।୧୭।

ଦ୍ୱିଜରାଜ ଗମନା (ଗଜ) ଦ୍ୱିଜ ରାଜମୁଖୀ (ଚନ୍ଦ୍ର)

ଦୁଷ୍ଟ କାମବାଣେ ତୋତେ କରାଇଲା ଦୁଃଖୀ

ଆହା ବାନ୍ଧବୀ ରେ ।୧୮।

ଧିକ ତୋର ଧଇର୍ଯ୍ୟ ମୁଁ ଧରିଛି ପରାଣ

ଧରଣୀ-ମଣ୍ଡନୀ ! ତୁ ପାଇଲୁ ଏ କଷଣ

ଆହା ବାନ୍ଧବୀ ରେ ।୧୯।

ନିଷ୍ଠୁର ନାହାକୁ ଯେଉଁ ନାରୀ କରେ ଆଶ

ନିଶ୍ଚେ ନାଶ ଯାଇ ଯେହ୍ନେ ଶଶୀରେ ସାରସ

ଆହା ବାନ୍ଧବୀ ରେ ।୨୦।

ଭାବାର୍ଥ- (୧୪-୨୦) ରେ ବାନ୍ଧବୀ, ବିଧାତା ଆମ ଦୁହିଁଙ୍କୁ ଅନ୍ତର କରି ଆମକୁ ବିରହ ଯନ୍ତ୍ରଣା ଦେଉଛି । ରେ ବାନ୍ଧବି, ଆମେ ଅଙ୍ଗରେ ପ୍ରୀତିଭାବ ଅନୁଭବ କରିଥିଲେ, ଏବେ ପରସ୍ପରଠାରୁ ଅଲଗା ରହି ଯନ୍ତ୍ରଣାରେ ଜଳୁଛନ୍ତି । ତା’ ଉପରେ ପୁଣି ଦଇବ ନିଷ୍ଠୁର ଆଚରଣ କରୁଛି । ତୋର ସେଇ ଯନ୍ତ୍ରଣାକୁ ମୁଁ ସବୁଦିନେ ବିଚାର କରୁଛି । ରେ ବାନ୍ଧବୀ, ମୋ ପାଖରେ ଥାଉ ଥାଉ କନ୍ଦର୍ପର ଭୟରେ ଥରିଯାଉ । ଅସ୍ଥିର ହୃଦୟା ଏବେ ପୁଣି ଅଥୟ କରିବ ।

ରେ ବାନ୍ଧବୀ, ରେ ଗଜଗମନା, ରେ ଚନ୍ଦ୍ରମୁଖୀ, ଦୁଷ୍ଟ କନ୍ଦର୍ପ ତୋତେ କାମବାଣ ବିନ୍ଧି ଅସହ୍ୟ ଦୁଃଖ ଦେଉଛି । ମୁଁ କିନ୍ତୁ ଧୈର୍ଯ୍ୟ ଧରି ପ୍ରାଣ ଧରି ବଞ୍ଚିଛି ? ମୋର ଧୈର୍ଯ୍ୟକୁ ଧିକ୍‍ । ରେ ଧରିତ୍ରୀମଣ୍ଡନା, ତୁ ଏତେ କଷଣ ପାଇଲୁ ? ଆହା ବାନ୍ଧବୀ, ନିଷ୍ଠୁର ନାଥକୁ ଯେଉଁ ନାରୀ ଆଶା କରିଥାଏ, ସେ ଚନ୍ଦ୍ର ଉଦୟରେ ସାରସ ନାଶଗଲା ଭଳି ନିଶ୍ଚୟ ନାଶ ଯିବ ।

ପରାଣରେ ଯେବେ ଅଛି ତୋତେ ପରିହରି

ପ୍ରାଣମଣି ତୋତେ ଏବେ କହିବି କି କରି

ଆହା ବାନ୍ଧବୀ ରେ ।୨୧।

ଫାଟି ଯାଇ ନାହିଁ ହିଆ କହୁ ଅଛି ଏହା

ଫୁଲ ଶରପାଶେ ତୋତେ ପକାଇଲି ଯାହା

ଆହା ବାନ୍ଧବୀ ରେ ।୨୨।

ବିରହ ବ୍ୟାଧିକି ବହି ନ କଲା ଔଷଧି

ବିବେକୀ ନୋହିଲା ସେ ବୋଇଲା କିମ୍ପା ବିଧି

ଆହା ବାନ୍ଧବୀ ରେ ।୨୩।

ଭୋଜନ ଆଦିରୁ ଅଙ୍ଗ ଭୋଗ ସୁଖ ଯେତେ

ଭୁଜଙ୍ଗ ବିଷ ପରାୟେ ହୁଅଇ ପରତେ

ଆହା ବାନ୍ଧବୀ ରେ ।୨୪।

ମଳୟ ପବନ ମଳୟଜ ଶରୀ ଆଦି

ମହପ୍ରୀତି କଥାମାନେ ହୁଅନ୍ତି ବିବାଦୀ

ଆହା ବାନ୍ଧବୀ ରେ ।୨୫।

ଜନମ ହୋଇ ମନରୁ ମରାଇ ମଦନ

ଯେ ଯାହା କଲେ ହେଁ କଲା ପରରେ ବିମାନ

ଆହା ବାନ୍ଧବୀ ରେ ।୨୬।

ରଖିଲା ବିଧାତା ଆମ୍ଭ କପାଳେ ଏତକ

ରଥାଙ୍ଗ ରଜନୀ ଦଶା ହେବ କାଳଯାକ

ଆହା ବାନ୍ଧବୀ ରେ ।୨୭।

 

ଭାବାର୍ଥ- (୨୧-୨୭) ରେ ବାନ୍ଧବୀ, ତୋତେ ଯଦି ମୁଁ ପ୍ରାଣର କରିବି, ରେ ପ୍ରାଣମତି ତୋତେ ଏବେଠୁଁ କହି ଲାଭ କ’ଣ ? ମୁଁ ଏପରି କହୁଛି, କାହିଁକି ହୃଦୟ ଫାଟି ଯାଉନାହିଁ ? ଫୁଲଶର ପାଖରେ ତୋତେ ପକାଇ ଯାହା ମୁଁ ଅଧର୍ମ କଲି, ତା’ର କ୍ଷମା ନାହିଁ । ରେ ବାନ୍ଧବୀ, ସବୁ ବ୍ୟାଧି ପାଇଁ ଔଷଧ ଅଛି; କିନ୍ତୁ ବିରହ ବ୍ୟାଧି ପାଇଁ ବିଧାତା ଔଷଧ ସୃଷ୍ଟି କରିନାହିଁ । ନିଜକୁ ବିଧି ବୋଲାଉଛି ଅଥଚ ଏମିତି ବିବେକହୀନ କାର୍ଯ୍ୟ କରିଛି ।

 

ଭୋଜନ, ଶୟନ ପ୍ରଭୃତି ଦେହକୁ ଯେତେ ସୁଖ ମିଳୁଛି, ତାହା ସର୍ପର ଉତ୍କଟ ବିଷ ପ୍ରାୟ ମନେ ହେଉଛି । ରେ ବାନ୍ଧବୀ, ମଳୟ ପବନ, ମହାପ୍ରୀତି କଥାମାନ ମନରେ ବିବାଦୀ ହୋଇ ରହୁଛି-। ମନ ମଧ୍ୟରୁ ଜନ୍ମ ହୋଇ କନ୍ଦର୍ପ ଆମକୁ ମାରୁଛି । ଯେ ଯାହା କଲେ ହେଁ ପର ଉପରେ ଅଭିମାନ ଆସୁଛି । ରେ ବାନ୍ଧବୀ, ବିଧାତା କିନ୍ତୁ ଆମ କପାଳରେ ଏତକ ଲେଖିଛି ଯେ, ଜୀବନ ଯାକ ଆମର ଚକ୍ରବାକ ପକ୍ଷୀର ଦଶା ଯେମିତି ରାତିରେ ହୋଇଥାଏ, ସେମିତି ହେବ ।

 

ଲୀଳାବତୀ ମୋହଲାଗି ଛାଡ଼ିଲୁ ଲୀଳାକୁ

ଲୋଚନେ ଏହା ମଣ୍ଡିଲୁ ଲୋତକ ମାଳାକୁ

ଆତ୍ମ ବାନ୍ଧବୀ ରେ ।୨୮।

ବେପଥୁ, ସ୍ତମ୍ଭ, ରୋମାଞ୍ଚ, ବିଶ୍ୱର, ବିବର୍ଣ୍ଣ

ବେଭାରେ ସ୍ୱେଦ-ପ୍ରଳୟ ହୋଇଲୁ ମଣ୍ଡନ

ଆହା ବାନ୍ଧବୀ ରେ ।୨୯।

ଶୀତ ଖରା ବରଷା ଏ ବାରମାସ ଯାକ

ଶ୍ରୀଅଙ୍ଗରେ କଟେ ଭୋଗ ହୋଇଲା ଏତକ

ଆତ୍ମା ବାନ୍ଧବୀ ରେ ।୩୦।

ସହଜେ ହେ ଆଶ୍ରେ ନଥିଲେ ବନିତା ଲତା

ଶୀର୍ଣ୍ଣ ହୋଇ ହୁଅନ୍ତା ମହୀ ଶୟନରତା

ଆହା ବାନ୍ଧବୀ ରେ ।୩୧।

ସବୁ ଦୋଷ ମୋର କ୍ଷମା କରିବୁ ମୃଗାକ୍ଷୀ

ଶ୍ରୀକର ଧରି ତୋତେ ମୁଁ ଏତେ କହୁଅଛି

ଆତ୍ମା ବାନ୍ଧବୀ ରେ ।୩୨।

ହସ୍ତରେ ଏତେକ ଲେଖି ମୁଦି ମୁଦଦେଇ

ହସି ବୋଇଲେ ଉଦ୍ଧବ ଯିବ ବେଗ ହୋଇ

ଆହା ବାନ୍ଧବୀ ରେ ।୩୩।

କ୍ଷମାକର ବଦନୀ ରାଧାକୁ ଏହା ଦେବ

କ୍ଷେମେ ଦୀନକୃଷ୍ଣ ବୋଲେ ମୋ ଦୁଃଖ କହିବ

ଆହା ବାନ୍ଧବୀ ରେ ।୩୪।

 

ଭାବାର୍ଥ- (୨୮-୩୪) ରେ ଲୀଳାବତି, ରେ ବାନ୍ଧବୀ, ମୋ ଲାଗି ତୁ ତୋର ଲୀଳାକୁ ଛାଡ଼ି ଦେଲୁ । ଏହାକୁ ଆଖିରେ ଲୁହ କରି ଆପଣାର କଲୁ । ତୋର ଶରୀରରେ ବେପଥୁ, ସ୍ତମ୍ଭ, ରୋମାଞ୍ଚ, ବିବର୍ଣ୍ଣ ଦେଖାଯାଉଛି । ତୋ ଶରୀରରେ ସ୍ୱଭାବରେ ସ୍ୱେଦ ମଣ୍ଡନ କଲା ବା ଝାଳରେ ବୁଡ଼ିଗଲୁ । ରେ ବାନ୍ଧବୀ, ଶୀତ, ଖରା, ବର୍ଷା- ଏମିତି ବାରମାସ ଯାକ ତୋ ଶ୍ରୀଅଙ୍ଗରେ କଟିଥିଲା- ଏବେ ଭୋଗ କଲୁ । ସହଜରେ ବନିତା, ଲତା ବିନାଶ୍ରୟରେ ବର୍ତ୍ତି ନ ଥା’ନ୍ତି । ଶୀର୍ଣ୍ଣ ହୋଇ ଭୂମି ଉପରେ ପଡ଼ି ଯିବେ । ହେ ବାନ୍ଧିବୀ, ସବୁ ଦୋଷ ମୋର । ରେ ମୃଗାକ୍ଷୀ, ମୋତେ କ୍ଷମା କରିବୁ । ତୋ ହାତ ଧରି ମୁଁ ଏତିକି ପ୍ରାର୍ଥନା କରୁଛି ।

 

ହାତରେ ଏତେକ ଲେଖି କୃଷ୍ଣ ମୁଦି ପ୍ରଦାନ କରି ହସି ହସି କହିଲେ- ହେ ଉଦ୍ଧବ, ଗୋପପୁରକୁ ଶୀଘ୍ର ଯାଇ ମୋ ବାନ୍ଧବୀକୁ ସମସ୍ତ କଥା କହିବ । ଚନ୍ଦ୍ରମୁଖୀ ରାଧାକୁ ଏହା ଦେବ, ମୋ ଦୁଃଖ କଥା କହିବ । କବି ଦୀନକୃଷ୍ଣ ଏହାକୁ ଗୀତରେ କହିଲେ ।

Image